Friday, September 2, 2022

ନୂଆଖାଇ ଏକ କୃଷି ଭିତ୍ତିକ ପର୍ବ!


🌾
ଯଦିଓ ମୁଁ ଆଞ୍ଚଳିକତାବାଦରେ ବିଶ୍ବାସ ରଖେନା, ତେବେ ସଂଖ୍ୟାଗୁରୁ ବିଚାରରେ ଭୈାଗଳିକତା ଦୃଷ୍ଟିରୁ ମୁଁ ଜଣେ କଟକିଆ! କଟକ ଜିଲ୍ଲାର ସଦର ମହକୁମାଠାରୁ ୧୨୦ କି.ମି. ଦୂର ଏକ ମପସଲରେ ମୋର ଜନ୍ମ, ଯେଉଁଠି କଟକର ବାସ୍ନା ହିଁ ନଥାଏ । ଆମର ଭାଷା ଅନୁଗୁଳର ନିକଟତର, ଚଳଣି-ସଂସ୍କୃତି ଗଡଜାତିଆ, ଜୀବିକା କୃଷି ଓ ଜଙ୍ଗଲ ଉପରେ ନିର୍ଭରଶୀଳ ଥିଲା ।

ନୂଆଖାଇ ଏକ କୃଷି ଭିତ୍ତିକ ପର୍ବ । ମାଟିବସହିତ ମାଟି ହୋଇ, ଝାଳ ବୁହାଇ, ଦିନରାତି ଏକ୍ କରି ଯେଉଁ ଫସଲ(ବିଶେଷ କରି ଧାନ, ଯାହାକି ଧନର ମାପକାଠି ଥିଲା) ଅମଳ ହେଉଥିଲା ସେଇ ନୂଆ ଫସଲକୁ ପ୍ରଥମେ ଇଷ୍ଟଦେବୀକୁ ସମର୍ପଣ କରିବା ପରେ ତାହକୁ ଗ୍ରହଣ କରିବାର ଉତ୍ସବ । କୃଷକ ପରିବାରର ଘରେ ଘରେ ସକ୍ଷ ମୁତାବକ ମିଷ୍ଠାନ୍ନର ଆୟୋଜନ ହୋଇ ଏକ ଅପୂର୍ବ ଆନନ୍ଦ ଅନୁଭବ ହୋଇଥାଏ ।

ଆମର ପରିବାରର ମୂଖ୍ୟ ଆୟ ଉତ୍ସ ଚାଷରୁ ଥିବାରୁ ନୂଆଖାଇ ଆମର ମଧ୍ୟ ଗଣପର୍ବ ଥିଲା । ତେବେ ଏବେ ପରି ପାଞ୍ଜି ଅନୁଯାୟୀ ତାହା ହେଉ ନଥିଲା । ଗ୍ରାମର ମୁଖିଅ ଯେଉଁଦିନ ନିର୍ଦ୍ଧାରଣ କରୁଥିଲେ, ଉକ୍ତ ଗ୍ରାମରେ ସେଇଦିନ ନୂଆଖିଆ ହେଉଥିଲା । ମୋଟାମୋଟି ଏକା କୃଷକର ନବଆୟର ଆନନ୍ଦ ପାଳନ ଉତ୍ସବ ।

କାଳକ୍ରମେ ଜଳବାୟୁ ପରିବର୍ତ୍ତନ କାରଣରୁ ଛୋଟଧାନ (ଅଳ୍ପଦିନରେ ଅମଳ ହେଉଥିବା ଧାନ) ମଧ୍ୟ ଡେରିରେ ହେଉଥିବାରୁ, ଅନ୍ୟ ଅଞ୍ଚଳରୁ ଚୁଡା କିଛି ସଂଗ୍ରହ କରି ତାହାକୁ ପୁରୁଣା ଶସ୍ୟର ରୋଷେଇରେ ମିଶାଇ କରି ଏହାକୁ ପାଳନ କରାଯାଉଅଛି ।

ଜଣେ କୃଷକପୁତ୍ର ହିସାବରେ ମୁଁ ଦେଖୁଛି, ଚାଷଜମି ସଵୁ ପଡିଆ ପଡିଲାଣି, ଧାନର ଦର ଯାହା ସେଥିରେ ଖର୍ଚ୍ଚ ଯେତିକି ଲାଭ କମ୍, ମଣ୍ଡିରେ ଧାନବିକ୍ରି ଏକରକମ ଯୁଦ୍ଧ ଲଢିବା ପରି । କୃଷକର ଖୁସି ଯେତେବେଳେ ସରକାରମାନଙ୍କ ଦ୍ବାରା ପ୍ରଦାନ କରାଯାଉଥିବା ଆର୍ଥିକ ସହାୟତା ଉପରେ ନିର୍ଭର କରୁଛି ସେତେବେଳେ ନୂଆଖାଇ ଆଉ କୃଷକ ପାଇଁ ସେପରି ଆକର୍ଷଣୀୟ ହୋଇ ରହିନାହିଁ ।

ାଦୈା ଚାଷ ଓ ଚାଷୀର ଧାର୍ ଧରୁ ନଥିବା ଲୋକେ ସପରିବାରେ ତନ୍ତବୁଣା ଦାମୀ ନୂଆ ପୋଷାକ ପିନ୍ଧି, ପତ୍ର ଚାରିପାଖରେ ଗୁଡାଏ ଦନା/ଚଉପତିରେ ନାନା ବ୍ୟଞ୍ଜନ ରଖି ନୂଆଖାଇବାର ଫଟୋ ହାପି ନୂଆଖାଇ ଲେଖି ସାମାଜିକ ଗଣମାଧ୍ୟମରେ ଛାଡୁଛି । ସାର ଓୈାଷଧ ଓ କୃଷି ପାଇଁ ସାମଗ୍ରୀ ବିକ୍ରି କରୁଥିବା ଲୋକ, ମହାଜନ, ଦାଦନ ଦଲାଲ, କୃଷକକୁ କରଜ ଦେଇ ଅଧିକ ସୁଧ ଆଦାୟକାରୀମାନେ ମଧ୍ୟ ନୂଆଖାଇ ଧୁମଧାମରେ ପାଳନ କରୁଛନ୍ତି! ଆଜି କୃଷିଜନିତ ପ୍ରକୃତ ଆୟ ଯାହା, ସତରେ କଣ ଜଣେ ନୟମିତ କୃଷକ ଏପରି ନୂଆଖାଇ ପାଳନ କରିପାରିବ?

ହଁ, କୃଷିକୁ ଶିଳ୍ପକରି ଲାଭ କରୁଥିବା ମଣିଷମାନେ, ଏହାକୁ ପର୍ଯ୍ୟଟନ ମଣି ସେଲ୍ଫି ଉଠାଉଥିବା ମାତୃଭୂମିପ୍ରେମୀମାନେ, ସଂସ୍କୃତିକୁ ଚାଟୁଥିବା କୁଅବେଙ୍ଗମାନଙ୍କ ପାଇଁ ଏହା ଏକ ମହୋତ୍ସବ!

ଯଦି ଜୈବିକ କୃଷିର ପୁନରୁଦ୍ଧାର ହୋଇପାରିବ, ଧାନର କିଲୋପିଛା ଦର ପେଟ୍ରୋଲ ଲିଟର ସହ ସମାନ ହୋଇବ, ଯଦି କିଶାନ ଯବାନ ପରି ପେନସନ ପାଇବ, ଯଦି ପିଲାଟିଏ ନିସଂକୋଚରେ ଶିକ୍ଷାନୁଷ୍ଠାନରେ କହିପାରିବ କି ମୋ ବାପା ଜଣେ କୃଷକ, ତେବେ ଯାଇ ଏହା ଗଣପର୍ବ ହେବ!

ବନ୍ଧୁଗଣ! ଆମେ ଏଥିପାଇଁ ଉଦ୍ୟମ କରିବା କି? ନା ଅଧିକ ଦିନ ଛୁଟିପାଇଁ, ଏ ଦିଗ ସେଦିଗ ନାମରେ ଭାଗଭାଗ ହୋଇ ନିଜନିଜ ମଧ୍ୟରେ ଲଢେଇ କରିବା??

ତା ହେଲେ ମୁଁ ଉପରେ କିଛି ବି ଲେଖି ନାହିଁ । କେବଳ ଏୟା ଲେଖିଚି କି: ସମସ୍ତଙ୍କୁ ହାପି ନୂଆ ଖାଇ!
🙏
ଡଃ.କୁଳାଙ୍ଗାର

 

0 comments:

Post a Comment