Sunday, September 30, 2018

ମଟନ୍ ଓ ପରକୀୟା

ତାଆର ମୃତ୍ୟୁ ଖବର ଶୁଣି ମୁଁ ନିଜକୁ ଦୋଷୀ ମଣିଲି ! ଆଜି ସକାଳେ ଦେଖା ହୋଇଥିଲୁ !

ତା ସହିତ ପ୍ରାୟ ଦେଖାହୁଏ । କିନ୍ତୁ କ୍ବଚିତ୍ କଥାବାର୍ତ୍ତା ହୁଏ । କଥା ହେବାକୁ ବେଳ କାଇଁ? ସିଏ ଫୋନରେ କଥା ହେବାରେ ଲାଗିଥିବ ଆଉ ମୁଁ ଚାଟିଂରେ ମାତିଥିବି!

ତେବେ ଅାଜି କଥା ନହୋଇ ରହି ପାରିଲିନି । କହିଲି - ସାଙ୍ଗ ଜାଣିଲୁଣି କି ନାଇଁ? ତୋଅର ଏଥର କଚେ ପୁଅ ବାଆର!

ସିଏ ମୁର୍କିହସା ମାରି କହିଲା- ହଁ ହଁ... ସୁପ୍ରିମ୍ କୋର୍ଟ କଥା ତ?
ମୁଁ ମୁଣ୍ଡ ଟୁଙ୍ଗାରନ୍ତେ ସିଏ କହିଲା- ଯାହାକହ ମୁଁ ଗ୍ୟାରେଣ୍ଟି ଦେଇକି କହିବି ଏଇଟା ଅନୁଭବର ରାୟ! ସର୍ବୋଚ୍ଚ ନ୍ୟାୟାଳୟର ନୂଆ ରାୟ ଶୁଣି ମୋ ହୃଦୟରେ ଭାରତୀୟ ନ୍ୟାୟ ବ୍ୟବସ୍ଥା ପ୍ରତି ପୁନଶ୍ଚ ଅସ୍ଥା ପ୍ରକଟିତ ହେଲା! 

କଥା କଣ କି ସିଏ ବି ଆପଣଙ୍କ ପରି ଲୁଙ୍ଗୁରାଟିଏ  ! ଖାଲି ଲୁଙ୍ଗୁରା କହିଲେ ଯଥେଷ୍ଟ ହେବନାଇଁ କାରଣ ସିଏ ଜଣେ ସଫଳ ଲୁଙ୍ଗୁରା ! ଏହାର ସଫଳ ରୂପାୟନ ଦେଖି ଅନେକ କହନ୍ତି ତାଆଠି କାଳେ କୃଷ୍ଣକଳା ଗୁଡାକ ଖୁନ୍ଦି ହୋଇଅଛି!! ତେଣୁ ସେ ମାମଲାରେ ସିଏ ସଫଳ ଆଉ ମୁଁ ବିଫଳ !

ତାଆର ମୋଅର ପିଲାଦିନୁ ସାଙ୍ଗ ! ଆମର ସମ୍ପର୍କ ନିବିଡ । ତେଣୁ  ସବୁ ବେଳେ ଗଣ୍ଡଗୋଳ । ଯାହାଟିଏ ପାଇବ ସିଏ କହିବ ମୋର ମୁଁ କହିବି ମୋର । ପରିସ୍ଥିତି ଏମିତି ହେଲା ଯେ କଲେଜ ଜୀବନରେ ସିଏ ଯେଉଁ ଝିଅଟିକୁ ପ୍ରେମ କଲା ମୁଁ ବି ତାକୁ ଭଲ ପାଉଥିଲି । କିନ୍ତୁ ତାକୁ ବାହାହେଲା ସିଏ!

ବାହାଘର ପରେ ତ ପ୍ରେମର ବରଫ ତରଳିବା ଆରମ୍ଭ କରେ । ପ୍ରେମର ବହୁଳ ବ୍ୟବହାର ପରେ ପରିମାଣ କମିଯାଏ । କୋମଳ ପ୍ରେମିକାମାନେ କଠୋର ସ୍ତ୍ରୀ ହୋଇଯାଆନ୍ତି!! ତା କ୍ଷେତ୍ରରେ ମଧ୍ୟ ସେୟା ହେଲା ! ପ୍ରେମ ବିନା ତ ଜୀବନ ଛଟପଟ । ତେଣୁ ସବୁ ସ୍ବାମୀଙ୍କ ପରି ସିଏ ବି ବିକଳ୍ପରେ ମାତିଲା!!

ତାକୁ ତା ସ୍ତ୍ରୀ ଅନ୍ୟ ଜଣେ ମହିଳା ସହ ହୋଟେଲରେ କାବୁ କରି ପୋଲିସକୁ ଧରେଇ ଦେଇଥିଲା ! ପରେ ଅବଶ୍ୟ ସିଏ ଜାମିନରେ ଆସି ସେଇ ସ୍ତ୍ରୀ ସହ ରହିଲା । ମନରେ ସୁଖ ନଥିଲା !

ମୁଁ କହିଲି- ଏଇ ଖୁସିରେ ଆଜି କଣ ହେବ?

ସିଏ କହିଲା- ଯାଉଚି ଚିଙ୍ଗୁଡି ନେଇ ଯିବି । ଯିବା ବାଟରେ ବିଅରଟିଏ ପିଇଦେବି !

ଯୋଜନା ମୁତାବକ କାମ କରି ସିଏ ଘରେ ପହଞ୍ଚିଲା ବେଳକୁ ତା ହାତରେ ଚିଙ୍ଗୁଡି ଜରି ଦେଖି ତା ସ୍ତ୍ରୀ କହିଲା- ଏହେ ଚିଙ୍ଗୁଡି କାହିଁକି ଆଣିଲ? ଆଜି ମୋ ମନ ଭାରି ଖୁସି ତ ତେଣୁ ମଟନ ଆଣି ରୋଷେଇ କରି ସାରିଛି....!

ଏତିକି ଶୁଣୁଶୁଣୁ ସିଏ ଟଳି ପଡିଲା! ଡାକ୍ତର କହିଲେ ତାଅାର ହୃଦଘାତରେ ମୃତ୍ୟୁ ହୋଇଛି।

ଏ ଖବର ପାଇ ମୁଁ ନିଜକୁ ଧୀକ୍କାରୁଛି; ଧେତ୍-ତେରିକା ମୁଁ କାହିଁକି ତା ଘରେ ମଟନ ଦେଇ ଆସୁଥିଲି!
ସେଥିପାଇଁ ବୋଧେ ଡାକ୍ତର ମାନେ କୁହନ୍ତି ନାଲିମାଂସ ସ୍ବାସ୍ଥ୍ୟ ପାଇଁ କ୍ଷତିକାରକ!!

©ଡ.କୁଳାଙ୍ଗାର

0 comments:

Post a Comment