Tuesday, September 25, 2018

ଜହ୍ନରେ ସଇବାବା!

ଜହ୍ନରେ ସଇବାବା ଦିଶୁଛନ୍ତି ଶୁଣି ବିରଳ ଦର୍ଶନ ପାଇଁକି ସିଏ ପିଲାଛୁଆଁଙ୍କୁ ଧରି ଭଡାଘରର ଛାତ ଉପରକୁ ଧାଇଁଲା!

ଯାଉଯାଉ ଭାବିଲା କଲେଜ ବେଳେ ଜହ୍ନରେ ପ୍ରେମିକା ମୁହଁ ଦିଶୁଥିଲା! ଚାକିରୀ କଲାପରେ ଜହ୍ନଟା ମୁଦ୍ରାଟିଏ ପରି ଦିଶୁଥିଲା!! ଆଉ ଆଜି ବାବା ଦିଶୁଛନ୍ତି, ଆହା... କେଡେ ବେଗି ବୈରାଗ ମାଡି ଆସିଲା.....!!!

ଛାତ ଉପରେ ପହଁଚିଲା ବେଳକୁ ଅଧିକାଁଶ ଭଡାଟିଆ ପହଁଚି ସାରଥିଲେ । ପଡୋଶୀ ମହିଳା ଜଣେ ଗୋଲାପ ଫୁଲ ଥୋଇ ଘଣ୍ଟି ହଲେଇ ପୂଜାର୍ଚ୍ଚନା ଆରମ୍ଭ କରି ଦେଇଥିଲେ ।

ପଡୋଶୀ ମହିଳାମାନଙ୍କୁ ପ୍ରଭାବିତ କରିବା ପାଇଁ ପୁରୁଷମାନେ ସଇବାବା ଦର୍ଶନର ପ୍ରତିଯୋଗୀତା ଚଲେଇଥିଲେ । କାହାକୁ ବାବାଙ୍କ ନିଶ ଦିଶୁଥିଲା ତ କାହାକୁ ଦାଢି, କାହାକୁ ମଥାର ଚିତା ତିଳକ ତ କାହାକୁ ମୁଣ୍ଡର ପଗଡି! ମୋଟାମୋଟି ସଇବାବାଙ୍କ ମୁହଁଟି ଗୋଲ୍ ଚନ୍ଦ୍ର ଭିତରେ ଦିଶୁଛି ବୋଲି ସେମାନେ ବାରମ୍ବାର ଆଲୋଚନା କରୁଥିଲେ!

ସିଏ ଘରଣୀକୁ ଫୁସୁଫୁସୁ କରି ପଚାରିଲା-କାଇଁ ମ କୋଉ ବାବା? ଆଜି କାହାର ତ୍ରିନାଥ ମେଳ ଥିଲା ନା କଣ ସମସ୍ତେ ଗଞ୍ଜେଇ ଟାଣିଛନ୍ତି ନା କଣ??

ଘରଣୀ ତାକୁ ଚିମୁଟି ଦେଇ ସମାନ ସ୍ବରରେ କହିଲେ- ଚୁପ୍... ବର୍ଷକେ ୩୬୫ ଦିନ ଆଇଁଷ ଗେଫିଲେ କଣ ସିଏ ଦିଶିବେ? ସମସ୍ତଙ୍କୁ ଦିଶୁଚି ମାନେ ତମେ ମନାକଲେ କହିବେ ପାପୀ! ହେଇଟି ଦିଶୁଚି! ମୁଣ୍ଡିଆ ମାର!

ସିଏ ଏଥର ସମସ୍ତଙ୍କର ଦୃଷ୍ଟି ଆକର୍ଷଣ କରିବା ଉଦ୍ଦେଶ୍ୟରେ କହିଲା- ବାବା କେତେ ସୁହୃଦ୍ ! କର୍ମ ଜ ଞ୍ଜାଳରେ ସମସ୍ତେ ତ ତାଙ୍କୁ ଦର୍ଶନ କରୁ ଯାଇ ପାରୁ ନାହାନ୍ତି ତେଣୁ ପରିସ୍ଥିତି ସହିତ ତାଳ ଦେଇ ସିଏ ଶ୍ରଦ୍ଧାରେ ଡୋର୍ ଷ୍ଟେପ୍ ଦର୍ଶନର ସୁବିଧା କରିବା ଉଦ୍ଦେଶ୍ୟରେ ମୁହଁଟି ଦେଖାଇ ଦେଉଛନ୍ତି!

କୁନିଝିଅ ପଚାରିଲା- ଆଛା ଏଡେବଡ ଜହ୍ନଟାରେ ଯଦି ମୁହଁଟା ରହିଲା, ବାବାଙ୍କର ଦେହ କୁଆଡେ ଗଲା?

ସମସ୍ତେ ଏହା ଶୁଣି ବାପ ଝିଅଙ୍କୁ ଗାଢେଇ ଚାହିଁଲେ!

ଯୋଗକୁ ଏ ସମୟରେ ଆକାଶରୁ ବର୍ଷା ଝରିଲା!!

କୁନିଝିଆ ତାଆର ହାତଟାଣି କହିଲା- ପାପା...ପାପା... ଶୀଘ୍ର ଚାଲ! ଡ୍ରେସ୍ ଗନ୍ଧିଆ ହୋଇଯିବ!!

©ଡ.କୁଳାଙ୍ଗାର
www.drkulangar.com

0 comments:

Post a Comment