Monday, September 17, 2018

ସେବାୟତଙ୍କ ସଦବ୍ୟବହାର

ତମଆମ ପାଇଁ ଯୋଉଟା ଦୁର୍ବ୍ୟବହାର; ମନ୍ଦିର ସେବାୟତଙ୍କ ପାଇଁ ସେଇଟା ସଦବ୍ୟବହାର! କାହିଁକିନା ସେମାନଙ୍କର ଭାଷା ହେଉଛି ଦେବଭାଷା । ତେଣୁ ସେ ଭାଷାରୁ ସିଏ ଯଦି ଦି ଅକ୍ଷର ବଖାଣି ଦେଲେ ଭକ୍ତମାନେ ତାହାକୁ ଦିଅଁଙ୍କର ବାର୍ତ୍ତା ବୋଲି ଗ୍ରହଣ କରିବାକୁ ହେବ! ସେବାୟତଙ୍କର ଭାଷା ସ୍ବତନ୍ତ୍ର । ଖାସ୍ ଏଇ ଭାଷାର ସୁରକ୍ଷା ପାଇଁ ପ୍ରାୟ ସେବାୟତ ସେମାନଙ୍କର ପିଲାଙ୍କୁ ବେଶି ପାଠ ପଢାନ୍ତି ନାହିଁ! ଏକେରେ ଅନ୍ୟଭାଷାକୁ ମନଦେଇ ଘୋସିଲେ ନିଜଭାଷାକୁ ଭୁଲିଯିବାର ଭୟ ଦୁଇରେ ପଢେଇବା ଯାହାର ଭବିଷ୍ୟତ କର୍ମ ସେମାନେ ବେକାରରେ ପଢନ୍ତେ କାହିଁକି?

ସେମାନେ ହେଲେ ଦିଅଁଙ୍କର ଲୋକ, ତେଣୁ ଭୁଲ୍ କରିବା ତାଙ୍କ ଜାତକରେ ନାଇଁ! ତଥାପି ଭକ୍ତଙ୍କ ଭିତରେ କିଛି ମୂଢ ଥାଆନ୍ତି ଯିଏ ସେବାୟତଙ୍କର ସଦବ୍ୟବହାରକୁ ସହି ନପାରି ବିରୋଧ କରନ୍ତି । ତୁରନ୍ତ ଦେବପ୍ରତିନିଧିଙ୍କଠାରୁ ଉତ୍ତମଧ୍ୟମ ମଧ୍ୟ ପାଆନ୍ତି । ଚାଲାଖ ଲୋକେ ଝାଡିଝୁଡି ହୋଇ ଘରକୁ ପଳାନ୍ତି ଏବଂ ଅତି ଚାଲାଖମାନେ ଥାନାରେ ପହଁଚନ୍ତି! ଦେଉଳରେ ରହୁଥିବା ଲୋକଙ୍କର ଭାଷା ଯଦି ସଂସ୍କୃତ ହୁଏ, ଥାନାରେ ରହୁଥିବା ମଣିଷମାନଙ୍କର ଭାଷା ପ୍ରାକୃତ । ସେମାନେ ବୈଜ୍ଞାନିକ ସୂତ୍ରରେ କାମ କରିଥାଆନ୍ତି । ସୂତ୍ରଟି ହେଲା ଯୁକ୍ତ ଯୁକ୍ତ ସମାନ ବିଯୁକ୍ତ । ସେଥିପାଇଁ ଗାଳିଶୁଣି ଅଭିଯୁକ୍ତ ନାଲିସ କରିବାକୁ ଗଲେ ଗାଳି ଶୁଣିବାକୁ ମିଳିଥାଏ ବୋଲି ଅଭିଯୋଗ ହୁଏ ।

ଏମିତି ହେବା ଧର୍ମରକ୍ଷା ପାଇଁ ମଙ୍ଗଳ! ନଚେତ ପ୍ରତିଦିନ ଯଦି ମାମଲା ପରେ ମାମଲା ବଢିଚାଲିବ । ଆଉ ସେବାୟତମାନେ ଗିରଫ ହୋଇ ଚାଲିବେ । ତେବେ ଦିନେ ଠାକୁରମାନେ ଅନାଥିଆ ହୋଇଯିବେନି??

ଶାସନ ଦାୟିତ୍ବରେ ଥିବା ଲୋକମାନେ ବାରମ୍ବାର ସେବାୟତମାନଙ୍କୁ ଶୃଙ୍ଖଳିତ କରିବାକୁ ଚେଷ୍ଟା କରିଥାଅାନ୍ତି । କିନ୍ତି ତାଙ୍କଠାରୁ ଶୃଙ୍ଖଳାଜ୍ଞାନ ହାସଲ କରିବା ବଦଳରେ ଓଲଟି ସେବାୟତମାନେ ତାଙ୍କୁ ବିଶୃଙ୍ଖଳିତ କରି ଦେଇଥାଆନ୍ତି । ମୂଖ୍ୟ ହେଉଛି ଅର୍ଥନୀତି । ଅର୍ଥନୀତିର ଫନ୍ଦି ହେଲା ମୁଣ୍ଡପିଛା ଆୟ । ରାଷ୍ଟ୍ର ବା ବ୍ୟବସ୍ଥାର ଅଧିନ ଲୋକମାନଙ୍କର ମୁଣ୍ଡପିଛା ଆୟଠାରୁ ସେବାୟତମାନଙ୍କର ମୁଣ୍ଡପିଛା ଆୟ ଢେର୍ ଅଧିକ । ଅତଏବ ସେମାନେ ମାନନ୍ତେ କାହିଁକି?

ମୋ ପରି ଅନେକ ନାସ୍ତିକ ପ୍ରଶ୍ନ କରନ୍ତି- ଦିଅଁଫିଅଁ ଫକଡ କଥା! ହୈଓ ଏମାନେ ତାଙ୍କ ଘରେ ରହି ଏ କୀର୍ତ୍ତିଯୁକ୍ତ ରିୟଲିଟି ସୋଅର ଧାରାବାହିକ ପ୍ରଦର୍ଶନ କରି ଚାଲୁଥିଲା ବେଳେ ଠାକୁର ଠାକୁରାଣୀ ଚୁପ୍ କାହିଁକି? ଏହାର ସରଳ ଉତ୍ତର ହେଲା ଦିଅଁମାନେ ସେ ଦେଉଳରେ ନାହାନ୍ତି! ସେ ଦେଉଳ ଛାଡି ଆମ ହୃଦୟରେ ଅବସ୍ଥାନ କରିଛନ୍ତି ଏବଂ ଆମ ଜରିଆରେ ଏହାର ପ୍ରତିବାଦ କରୁଛନ୍ତି । ଅତଏବ ସେବାୟତଗଣଙ୍କୁ ଆମେ ତାଙ୍କର ଏମନ୍ତ ସଦବ୍ୟବହାର ପାଇଁ କୃତଜ୍ଞତା ଜ୍ଞାପନ କରିବା ସହ ଏହା ଜାରି ରଖିବା ପାଇଁ ସହଯୋଗ କରିବା । ଯେମିତି ଦିଅଁ ଆମ ହୃଦୟ ଛାଡି କେବେ ହେଁ ସେ ଦେଉଳକୁ ନଯାଆନ୍ତି!!

©ଡ.କୁଳାଙ୍ଗାର
www.drkulangar.com

0 comments:

Post a Comment