**ମୁଁ ମାଷ୍ଟରକ୍ୟାଣ୍ଟିନର ଘୋଡା*
--------------------------------
ଡଃ. କୁଳାଙ୍ଗାର
ମୁଁ ମାଷ୍ଟରକ୍ୟାଣ୍ଟିନର ଘୋଡା,
ଆଗରୁ ଥିଲି ସ୍ବାଭିମାନ ମୁଁ ଏବେ ହେଲିଣି ବୁଢା!
ବୁଢାହେବା ଲୋକ ସେବା ପାଉଥିଲେ
ଦାୟାଦ ପାଖରେ ରହି;
ଏବେ ପିଲାପିଲି ଛାଡୁଛନ୍ତି ଏକୁଟିଆ
କିମ୍ବା ଜରାନିବାସରେ ନେଇ!
ସେ ନ୍ୟାୟରେ ମୁଁ ହେବାକୁ ଯାଉଛି ତଡା;
ମୁଁ ମାଷ୍ଟରକ୍ୟାଣ୍ଟିନର ଘୋଡା,
ଆଗରୁ ଥିଲି ସ୍ବାଭିମାନ ମୁଁ ଏବେ ହେଲିଣି ବୁଢା!!
ସହରଟା ଛୋଟ ଥିଲା ସେତେବେଳେ
ତେଣୁ ମୁଁ ଥିଲି ବଡ;
ଏବେ ସେ ବଢନ୍ତେ କହୁଛି ତୁ ଛୋଟ
ଦାମୀ ସ୍ଥାନ ତେଣୁ ଛାଡ!
ଜାଗା ଭାଗକର ମଧୁବାବୁ ଯହିଁ ଛିଡା;
ମୁଁ ମାଷ୍ଟରକ୍ୟାଣ୍ଟିନର ଘୋଡା,
ଆଗରୁ ଥିଲି ସ୍ବାଭିମାନ ମୁଁ ଏବେ ହେଲିଣି ବୁଢା!!
ନିହଣ ମୁନରେ ଗଢିଥିଲେ ଯିଏ
ଯେ ମୋର ଜନ୍ମଦାତା;
ସିଏ ବି ନାହାନ୍ତି ଜଗତରେ ଆଉ
କହିବାକୁ ମୋ କଥା!
ଜନମ ମୋର କାହିଁକି ହୋଇଲା ଲୋଡା;
ମୁଁ ମାଷ୍ଟରକ୍ୟାଣ୍ଟିନର ଘୋଡା,
ଆଗରୁ ଥିଲି ସ୍ବାଭିମାନ ମୁଁ ଏବେ ହେଲିଣି ବୁଢା!
ଭାବୁଛ କି କାଳେ କହି ଦେବି ମୁଁ
ଶୁଣିଥିବା ଗୁପ୍ତକଥା;
ଜଣେଇ ଦେବି କି ରାଲି ଓ
ସ୍ଲୋଗାନ ପଛକଣା ଏବଂ ନଥା!
ମଣିଷ ନୁହେଁ ଯେ ହୋଇବି ପ୍ରକୃତିଛଡା,
ମୁଁ ମାଷ୍ଟରକ୍ୟାଣ୍ଟିନର ଘୋଡା,
ଆଗରୁ ଥିଲି ସ୍ବାଭିମାନ ମୁଁ ଏବେ ହେଲିଣି ବୁଢା!
କେତେ ହୃଦୟରେ ପ୍ରବେଶ କରି ମୁଁ
ଜମେଇ ସାରିଛି ସ୍ଥାନ;
ଅତି ନରମ ମୁଁ ଆଜି ବି ଅନେକ
ଓଡିଆ ଛାତିର ହୃଦସ୍ପନ୍ଦନ!
ଭାବନ୍ତି ପଥର ଦେହରେ ମୂର୍ତ୍ତି ଗଢା;
ମୁଁ ମାଷ୍ଟରକ୍ୟାଣ୍ଟିନର ଘୋଡା,
ଆଗରୁ ଥିଲି ସ୍ବାଭିମାନ ମୁଁ ଏବେ ହେଲିଣି ବୁଢା!
ଦେଖିକି ଖୋଳିବ ନେଲାବେଳେ
ମୋତେ ଭୁଷୁଡିବ ବୁନିଆଦି;
ଭାଙ୍ଗିଯାଏ ଯଦି ତମ ଦକ୍ଷତାର
ହୋଇଯିବ ବରବାଦି!
ଏକ ନର ନୁହେଁ ଅନେକ ମୋ ସାଥେ ଯୋଡା;
ମୁଁ ମାଷ୍ଟରକ୍ୟାଣ୍ଟିନର ଘୋଡା,
ଆଗରୁ ଥିଲି ସ୍ବାଭିମାନ ମୁଁ ଏବେ ହେଲିଣି ବୁଢା!
#ବ୍ୟଙ୍ଗକବିତା #ଡଃକୁଳାଙ୍ଗାରଙ୍କବ୍ୟଙ୍ଗ






0 comments:
Post a Comment