*କିଏ ହେବେ କୋଟିପତି*
------------------------------
ଡଃ. କୁଳାଙ୍ଗାର
📢
ଡାକିଲେ- ଆସ କିଏ ହେବ କୋଟିପତି!
କହିଲି- ଗୋଟିଏର ପତି ହୋଇ
ମୁଁ ତ ନାନା ଦହଗଞ୍ଜ ନିତି!
କହିଲେ- ନାଇଁ କ୍ୟାମେରା ସାମ୍ନାରେ ଯଦି
ଆମ ପ୍ରଶ୍ନର ଉତ୍ତର ଠିକ୍ ଠିକ୍ ଦେବ,
ତାହେଲେ କୋଟିଏ ଗାନ୍ଧିମୁଣ୍ଡ ଛପା ନୋଟ୍ ନେବ!
କହିଲି- ଓଃ ଏଇକଥା.... ପଚାରୁନ;
ମୁଁ ତ ସିଦ୍ଧହସ୍ତ ଘରେ ଦେଇଦେଇ
ନାନା ପ୍ରଶ୍ନର ଉତ୍ତର ପ୍ରତିଦିନ!!
ପ୍ରଥମ ପ୍ରଶ୍ନଥିଲା- ମୋହନ ଦାସଙ୍କ ପରି ପିଲାକୁ
ମାଟ୍ରିକରେ ଗାନ୍ଧି ଡିଭିଜନ କାହିଁକି ମିଳିଲା?
କହିଲି- କାରଣ ସେତେବେଳେ ଅନଲାଇନିରେ
ପାଠପଢା ଓ ପରୀକ୍ଷାର ବ୍ୟବସ୍ଥା ନଥିଲା!
ଯଦି ଆଜିପରି ସେ ବେଳରେ
ହ୍ବାଟ୍ସଆପରେ ପ୍ରଶ୍ନ ଆସି ଉତ୍ତର ଯାଇଥାନ୍ତା;
ମୋହନ ଦାସଙ୍କର ଦଶମ ପରୀକ୍ଷା ଫଳ
କିଛି ଅଲଗା ହୋଇଥାନ୍ତା!!
ଦ୍ବିତୀୟ ପ୍ରଶ୍ନଥିଲା- ମହାଭାରତରେ ଶହେଭାଇ କୈାରବ,
ପାଞ୍ଚଭାଇ ପାଣ୍ଡବଙ୍କଠାରୁ ହାରିବାର କାରଣ କଣ କହିବ?
କହିଲି- ଯେତେ ଭାଇ ସେତେ ଭାଉଜ
କାହାର କାହା ସହିତ ପଡୁ ନଥିବ;
ପାଣ୍ଡବଙ୍କର ତ ଏକପତ୍ନୀ ତେଣୁ ପାଞ୍ଚଜଣ ଏକ ହୋଇ
ଜଣଜଣ କରି ଶହେକୁ ହରାଇବା ସହଜ ହୋଇଥିବ!!
ତୃତୀୟ ପ୍ରଶ୍ନଥିଲା- ଏ ଯୁଗରେ ଯଦି ଭିଲିଆନ ରାବଣ
ସୀତାଦେବୀଙ୍କୁ ଚୋରେଇ ନେଇଥାଆନ୍ତେ
ତେବେ ତାଙ୍କ ପତି କଣ କରନ୍ତେ?
କହିଲି- ଭାରତ ସରକାରଙ୍କ ଜରିଆରେ
ପ୍ରତ୍ୟାପଣ ଚୁକ୍ତି ଅନୁଯାୟୀ ଶ୍ରୀଲଙ୍କା କିମ୍ବା ଆନ୍ତର୍ଜାତିକ
କଚେରୀରେ ମାମଲା ଦାଖଲ କରନ୍ତେ!!
ଚତୁର୍ଥ ପ୍ରଶ୍ନଥିଲା- କଂସ ଦେବକୀର ସବୁ ଛୁଆଙ୍କୁ
ମାରିଲା, ହେଲେ ପୁଅଟା କେମିତି ବଞ୍ଚିଗଲା?
କହିଲି- ଦୁଇଟା କାରଣ, ଏକ୍- ସେତେବେଳେ ବି
ଲିଙ୍ଗଭେଦ ଥିଲା; ଦୁଇ- ଏବେ ପରି ସେବେ ବି
କଂସ ପୁଅ ନୁହେଁ ଝିଅଙ୍କୁ ଡରୁଥିଲା!!
ପଞ୍ଚମ ପ୍ରଶ୍ନଥିଲା- କଣ କଲେ ଦେଶର
ଅର୍ଥନୀତି ସୁଦୃଢ ହୋଇ ପାରିବ?
କହିଲି- ଯଦି ଜନତାରୁ ନେତାଯାଏଁ ସବୁ ବିରୋଧିଙ୍କୁ
କଳେବଳେ ଶାସକ ଦଳରେ ସାମିଲ୍ କରି ଦିଆଯିବ;
ସମସ୍ତେ ସୁଖି ପାଲଟିବେ
ଦୁଃଖ, ଦାରିଦ୍ର୍ୟ କାହା ପାଟିରେ ନରହିବ!!
ଷଷ୍ଠ ପ୍ରଶ୍ନଥିଲା- ସିନେମାରେ ନାୟିକା ଅଳ୍ପ କପଡା
ପିନ୍ଧୁଥିଲା ବେଳେ ନାୟକ ମାନେ ଅଧିକ ପିନ୍ଧନ୍ତି କାହିଁକି?
କହିଲି- ଜଣେ ନିଜର ଅସଲପଣ ଖୋଲିବାକୁ ଚାହେଁ
ଆଉ ଜଣେ ଚେଷ୍ଟାରତ ଲୁଚେଇବା ପାଇଁକି!
🗣
ଯଦିଓ ସଵୁ ପ୍ରଶ୍ନର ଉତ୍ତର ମୁଁ ଯତ୍ନର ସହିତ ଦେଲି,
କୋଟି ଛାଡ ଫୁଟି ବି ମିଳିଲାନି ଖାଲିହାତେ ଫେରିଲି!
ସମ୍ପୂର୍ଣ ସୁଟିଂ କରିଥିଲେ କେତେ କ୍ୟାମରା ବୁଲେଇ,
କିନ୍ତୁ ସେ ଅଧ୍ୟାୟଟାକୁ ଟିଭିରେ ଦେଖାଇଲେ ନାହିଁ!!
ଏକଥା ମୁଁ ଖୋଲି ଆମ ଘରେ କହିବାରୁ,
ଘରଣୀ ପଚାରିଲେ ମୋତେ ହୋଇ ଗାରୁଗାରୁ-
ହୈଏ ତମେ ତ କବି, ସରସ୍ବତୀ ପୁତ୍ର ହୋଇ
ଲକ୍ଷ୍ମୀଙ୍କ ଅାଡକୁ କାହିଁକି ମନ ବଳୁଅଛି;
ମୁଁ କୁନ୍ଥୁକୁନ୍ଥୁ ହୋଇ କହିଲି- ଲୋଭ ହେଲା
ଯେବେ ଶୁଣିଲି କାଳେ କୋଟିପତିଙ୍କୁ ମାଗଣା ରାସନ,
ପାଇଖାନା ଓ ଆବାସ ଯୋଜନାରେ ଘର ମିଳୁଅଛି!
#ବ୍ୟଙ୍ଗକବିତା #ଡଃକୁଳାଙ୍ଗାରଙ୍କବ୍ୟଙ୍ଗ






0 comments:
Post a Comment