Wednesday, August 17, 2022

ହେଲା...ହେଉଛି... ହେବ ଭଲ...! ଡ଼ଃ କୁଳାଙ୍ଗାର












ହେ ପ୍ରଭୁ,
ଏବେ କଣ ହୋଇଛି କେଜାଣି
ତୁମ ନାଆଁ ଧରିଲେ ଭାଗ ହେଉଛନ୍ତି ସବୁ!

ଦଳଟେ ତମକୁ କରିଦେଇଛନ୍ତି ପଟା,
ତମ ନାଆଁ ନେଇ ମାଡି ବସିଛନ୍ତି
କ୍ଷମତାର ବଡ କୋଠା!

ତୁମ କଥା କହିଲି ବୋଲି,
ଦୁଇ ଅକ୍ଷରି ସଂସ୍କୃତରେ ମୋର
ଚଉଦ ପୁରୁଷ ଉଦ୍ଧାର କରନ୍ତି ଖାଲି!

ତୁମ କଥା କହିଲି ହେ ଦେବ,
ଯାହା ହେଲା ଭଲ ହେଲା ଯାହା ହେଉଛି
ଭଲ ହେଉଛି ଯାହା ହେବ ଭଲ ହେବ!

ତାହା ତାଙ୍କୁ ବାଧିଲା,
ଯାହା ହେଲା ମାନେ ମୁଁ କାଳେ କହିଲି
ତାଙ୍କ ସହଯୋଗୀ ଦଳ ହାତ ଛାଡିଲା!

ଯାହା ହେଉଛି ଭଲ ହେଉଛି,
ମାନେ ଦରଦାମ ବୃଦ୍ଧି ଓ ଆର୍ଥିକ ଅବସ୍ଥା
ପାଇଁ ଦାୟୀ କରି ମୁଁ କାଳେ କହୁଛି!

ଯାହା ହେବ ଭଲ ହେବ,
ମାନେ ମୁଁ କାଳେ କହିଲି କି
ଆଗକୁ ତାଙ୍କ ହାତରୁ ଘିଅମହୁ ଯିବ!

ତାଙ୍କରି ଭଳିଆ ମୋ ଘରର ଘରଣୀ,
ଅଣ୍ଟାରେ ଲୁଗାକୁ ବାନ୍ଧି
ଝାଡୁ ଉଠେଇଲାଣି ମୋ କଥା ଶୁଣି!

ଯାହା ହେଲା ଭଲ ହେଲା ମାନେ,
ବାହାଘରରେ ଭୋଜି ନିଅଣ୍ଟ କଥାକୁ
କାଳେ ମୁଁ ପକେଇଲି ମାନେ!

ଯାହା ହେଉଛି ଭଲ ହେଉଛି,
ମୁଁ କାଳେ ତାଙ୍କ ହାତରନ୍ଧାକୁ
ଟିକଲ କରି ଏ କଥା କହୁଛି!

ଯାହା ହେବ ଭଲ ହେବ ମାନେ,
ମୁଁ ଆଉ ଜଣଙ୍କ ସହିତ ଘର ସଂସାର
କରିବାକୁ କାଳେ ଭାବୁଛି ମନେ ମନେ!

ବିରୋଧୀ ଦଳର ନେତା,
ଲାଙ୍ଗୁଡ଼ରେ ଛିଡା ହେଲେ ଶୁଣିକରି
ମୋ ମୁହଁରୁ ଆପଣଙ୍କ କଥା!

ଯାହା ହେଲା ଭଲ ହେଲା ମାନେ,
ମୁଁ କାଳେ ତାଙ୍କର ବାରମ୍ବାର ଶୋଚନୀୟ
ପରାଜୟକୁ ପକାଉଛି ମନେ!

ଯାହା ହେଉଛି ଭଲ ହେଉଛି,
ମୁଁ କାଳେ ତାଙ୍କ ମୁଖିଆଙ୍କ ଘନଘନ
ଜେରା ଓ ଚଢ଼ାଉ କଥା କହୁଛି!

ଯାହା ହେବ ଭଲ ହେବ,
ମାନେ ତାଙ୍କର ସଂଗଠନ ଯାହା
ଏଥର ବି ହାରିବାର ରେକର୍ଡ ଭାଙ୍ଗିବ!

ଜଣେ ବାବାଜୀଙ୍କୁ କହିବାରୁ,
ସିଏ ନିଜର ଜିନିଷ ବିକ୍ରି କରୁକରୁ
ମୋ ଉପରେ କ୍ରୋଧରେ ହେଲେ ଗାରୁଗାରୁ!

ଯାହା ହେଲା ଭଲ ହେଲା,
ମାନେ ଜେଲରେ ପଶିଛନ୍ତି ଯେଉଁ ଗୁରୁ
ତାଙ୍କର କରି ଅନୈତିକ ପାଲା!

ଯାହା ହେଉଛି ଭଲ ହେଉଛି,
ମାନେ ମୁଁ କାଳେ ତାଙ୍କ ବ୍ୟବସାୟ ଓ
ମିଛ ପ୍ରଚାର କଥା କହୁଛି!

ଯାହା ହେବ ଭଲ ହେବ,
କାଳେ ବିପରୀତ ବାୟୁ ବହିଲେ ଆଗକୁ
ତାଙ୍କ ଉପରେ ଇଡି ଚଢ଼ାଉ କରିବ!

ତେଣୁ ଆଉ କୀଳା ନେବିନାଇଁ,
ଆପଣଙ୍କ କଥା ଆଉ କୀର୍ତ୍ତି
କାହା ଆଗରେ ବଖାଣିବି ନାହିଁ!

ଆପଣଙ୍କର ଯୋଉ କାର୍ନାମା,
ଆମ ଘରେ ବଢ଼ିଲା ଝିଅ ଥିବାରୁ ଆପଣଙ୍କ
ଜନ୍ମଦିନ ପାଳିବାକୁ ମନା କରେ ମୋ ବାମା!

------------------------------------------
#ଡ଼ଃକୁଳାଙ୍ଗାରଙ୍କବ୍ୟଙ୍ଗ

#ବ୍ୟଙ୍ଗକବିତା 

0 comments:

Post a Comment