Tuesday, December 8, 2020

ଚାଷୀ - କବି ଭେଟ


 *

ଚାଷୀ ଜଣେ ଭେଟ ହୋଇ କହିଲେ ହୋ କବି,

ସରକାର ପୁଅ ସହ ଉଠୁବସ ତମର ତ ହବି!

ତାଙ୍କ ପାଖେ ଆମ ପାଇଁ କର ଟିକେ ଲବି,

             ମାନନ୍ତୁ ଆମ ଚାଷୀମାନଙ୍କର ଦାବି!!


ମୁଣ୍ଡ ଆଉଁସି କହିଲି ଶୁଣ ଚାଷୀ ଭାଇ,

ତମର ଦାବି କଣ ମୁଁ ନିଜେ ବୁଝି ନାଇଁ!

ତା ଛଡା କବିର ଲବି ଏଣ୍ଡୁଅ ପରି ଧାଇଁ ଧାଇଁ,

        ଏକାଡେମୀ ଅବା ପଦ୍ମ ପୁରସ୍କାର ପାଇଁ!!


ଚାଷୀ ବୁଝେଇଲା ଏବେ ଆମ ସରକାର,

କୃଷି ଆଇନ କରିଛନ୍ତି ତିନୋଟି ପ୍ରକାର!

ଏଥିରେ ରହିବ ନାଇଁ ସରକାରୀ ସର୍ବନିମ୍ନ ଦର,

        କିଣବ କମ୍ପାନୀ ସିଧା ଫସଲକୁ ମୋର!!


ମୁଁ କହିଲି - ବଢିଆ ତ ସୁବିଧା ପାଇବ,

ପୂର୍ବ ତୁଳନାରେ ବେଶି ଦର ବି ହାଙ୍କିବ!

ମଣ୍ଡିରେ ଅଧିଆ ଆଉ ତୁମେ ନପଡିବ,

          ମୋ ପରି ଦରିଦ୍ରଙ୍କ ଭେଳା ବି ବୁଡିବ!!


ଆହେ ଚାଷୀ ଭାଇ ସବୁ ତମ ପାଇଁ,

ଆଳୁ କେତେ ହେଲାଣି ଜାଣିଛକି ନାଇଁ?

ଏପଟର ରୋଜଗାର ସେପଟରେ ଯାଇ,

ତମେ ନୁହଁ  ଆମେ ବନ୍ଦ୍ ପାଳିବା କଥା ଭାଇ!!


ଚାଷୀ କହିଲା ଭଲ କଥା ତ କହୁଛ,

ଲାଗୁଛି  ତମେ ସର୍କାର ପଟରେ ରହିଛ!

ଏଇଠାରେ ଚାଷୀ ଅତ୍ମହତ୍ୟା ଦେଖିଅଛ,

       ଋଣ ସତ ରୋଜଗାର ଡବଲଟା ମିଛ!!


ଯଦି ଚାଷବାସର ମାମଲା କମ୍ପାନୀ ବୁଝିବେ,

ଦେଶର ଅଧେ ତାହାଙ୍କୁ ଟେକିଦିଅ ତେବେ!

କମ୍ପାନୀଏ ଯଦି ମିଶି ଦର କମେଇବେ,

 ଚାଷୀ ଯାଇକରି କୋଉ ବୋପାକୁ କହିବେ?


ମୁଁ କହିଲି ନୂଆ ଆଇନ ଅନୁଯାୟୀ,

ଉତ୍ପାଦକ କମ୍ପାନୀ ଗଢିବ ସମେତ ହୋଇ!

ସବୁ ତ ହୋଇଛି ତମ ଉତ୍ଥାନ ନିମିତ୍ତ,

        ବେକାରଟାରେ ବନ୍ଦ କରୁଛ ଭାରତ!


ତା ଛଡା ଯଦି କୋଉ କମ୍ପାନୀ ଠକିବ,

ତା ନାଆଁରେ କୋର୍ଟରେ ମାମଲା ହାଙ୍କିବ!

ସବୁ ଯଦି ସରକାର ମୁଣ୍ଡରେ ଲଦିବ,

କେବେ ଆଉ ତମେମାନେ ସମୃଦ୍ଧ ହୋଇବ?


ଚାଷୀ ପଚାରିଲା - ଯାର ଅଧ ଏକର ଥିବ,

କେତେଦିନ କେତେ ଦେଇ ମାମଲା ଲଢିବ?

ବର୍ଷବର୍ଷ ଧରି ଯଦି ଚୁକ୍ତିରେ କମ୍ପାନୀ ଚଷିବ,

         ଆଇନ ଜାଲରେ ମଳିମୁଣ୍ଡିଆ ଫସିବ!!


ସର୍କାର ଅର୍ଥଦିଏ ନିଗମ କ୍ଷତି ପାଇଁ,

ବ୍ୟାଙ୍କ ଓ କମ୍ପାନୀକୁ ଉଦ୍ଧାରେ ସବ୍ସିଡି ଦେଇ!

ଆମ ବେଳକୁ ଛୁ ସେ ହାତଟେକି ଦେଇ,

  ଦୁଃଖଲାଗେ ଅନ୍ନଦାତାର ଦୁଃଖ ବୁଝନାଇଁ!!


ମୁଁ କହିଲି ଅନେକ ସରକାରୀ ଚାକିରୀ କରନ୍ତି,

ବେପାର, ଠିକାଦାରୀରେ କେତେକ ଚଳନ୍ତି!

ବଳକା ଜନେ ଟଙ୍କିକିଆ ଚାଉଳ ଖାଆନ୍ତି,

    ଆମ ରାଜ୍ୟରେ ଆଉ ଚାଷୀ ବା କାହାନ୍ତି??


©ଡଃ. କୁଳାଙ୍ଗାର 

8895825863

0 comments:

Post a Comment