Sunday, June 11, 2017

ଷ୍ଟାର୍ ହୋଟେଲରେ ସାହିତ୍ୟ ଉତ୍ସବ ଓ ବିଚରା ଲେଖକ

ନିମନ୍ତ୍ରଣ ପତ୍ରଟି ଯଦିଓ ଅର୍ଥନୈତିକ ଲାଗୁଥିଲା,
କାର୍ଯ୍ୟକ୍ରମଟି କିନ୍ତୁ ସାହିତ୍ୟ ଉତ୍ସବ ଥିଲା!
ନିମନ୍ତ୍ରଣ ପତ୍ର ନୁହେଁ ତ ରଙ୍ଗୀନ୍ ବହିଖଣ୍ଡେ,
ଭାଷିବେ ଅଧାଘଣ୍ଟାକୁ ବକ୍ତା ଗଣ୍ଡେଗଣ୍ଡେ!!

ଆସିବେ ସାମ୍ବାଦିକ, ମହା ମାମଲତକାର,
ସାହିତ୍ୟ ଦଲାଲ ଓ ଟିଭିର ଟାଉଟର!
କହିବେ ନାମଜାଦୀ ମହା ଟିପ୍ପଣୀକାର,
ଯିଏ ଲେଖନ୍ତି ସଦା ସଂସ୍କୁତିକୁ କରି ଧୀକ୍କାର!!

ଏ ଭେଷଡଙ୍କୁ ଯେହେତୁ ମାଗଣା ଶୁଣିବେ,
ଖାନାପିନା ଖର୍ଚ୍ଚ ନିଜେ ନିଜର ଗଣିବେ!
ଯଦି ଆପଣ ଭାଷାକୁ ଭଲ ପାଉଥିବେ,
ଅନୁରୋଧ ଯୋଗଦେବାକୁ ନିଶ୍ଚୟ ଆସିବେ!!

ଭାଷାକୁ ଭଲପାଇବା କଥା ଶୁଣି,
ଧାଇଁଲି ମୁଁ ସଙ୍ଗେ ଧରି ପିଲା ଓ ଘରଣୀ!
ପିଇକି ପେଟେମଦ କହନ୍ତି ଯିଏ ଯାହା,
ପୁରସ୍କାର ଆଶାୟୀ କରନ୍ତି ବାହା ବାହା!!

କିଏ କହିଲା ଅାମ ଦେଶଟା ଗୋଭକ୍ଷୀ,
କିଏ ପଢିଲା ମେଂଚେ କାଗଜ ଦେଖିଦେଖି!
ଖାଇବା ବେଳେ ମନ୍ତ୍ରୀ ପହଁଚିଗଲେ ଆସି,
କହିଲେ ପାରିହୁଅ ଆମ ଦଳରେ ମିଶି!!

ଶୁଣି କାନ୍ଦିଲା ଛୁଆ ବୁଢାଙ୍କ ଡାଇଲଗ,
ସ୍ତ୍ରୀ କହିଲା ତମେ ଏଇଥି ପାଇଁ ଲେଖ!
ବିରକ୍ତେ ଆସିଲି ମୁଁ ହୋଇକି ଛାଟିପିଟି,
କହିଲେ ପୁରସ୍କାର  ନାହିଁ ତ ଗଲା ଉଠି!!

କୋଉଠି ଥିଲା ଝିଅ ଗୋଟେ ଆସିଲା ମାଡି,
ସେଲ୍ଫି ନେଲା ତାର ଦେହ ମୋଠି ଓଜାଡି!
ଷ୍ଟାର୍ ହୋଟେଲ ଉତ୍ସବରେ ସାହିତ୍ଯ ଚର୍ଚ୍ଚା,
ଲାଗିଲା ବାମନ ମୁଁ ସାହିତ୍ୟ ବହୁ ଉଚ୍ଚା!!

(ସାହିତ୍ୟ ଉତ୍ସବ ଆୟୋଜକଙ୍କୁ ନିରୁତ୍ସାହ କରିବା ଉଦ୍ଦେଶ୍ୟରେ ନୁହେଁ ବରଂ ନିକଟରେ ଅନୁଷ୍ଠିତ ଏକ ସାହିତ୍ୟ ଉତ୍ସବରେ ଯୋଗ ଦେଇଥିବା ଜଣେ ଲେଖକଙ୍କର ଅନୁଭୂତି ଓ ଅନୁରୋଧକୁ ପାଥେୟ କରି କବିତାଟି ଲିଖିତ -ଡ.କୁଳାଙ୍ଗାର)

0 comments:

Post a Comment